January 10, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଗୁରୁବାର ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି l ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଭାରତୀୟ ଐତିହ୍ୟର ପଦଚିହ୍ନ ଧାରଣ କରିଛି। ରାଜ୍ୟର ଧଉଳି ଶାନ୍ତିସ୍ତୁପ ପ୍ରମାଣିତ କରିଥିଲା ଯେ, ତରବାରୀ ଦ୍ବାରା ହୃଦୟ ଜୟ ଅବା ଶାନ୍ତି ପ୍ରତିଷ୍ଠା କରାଯାଇପାରେ ନାହିଁ।ପ୍ରବାସୀ ଭାରତୀୟମାନଙ୍କ ପାଇଁ ଆମେ ଗର୍ବିତ। କେବଳ ଆମେ ନୁହେଁ, ସାରା ଦେଶ ଗର୍ବିତ। ବିଦେଶରେ ପ୍ରବାସୀମାନଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ମୋଦୀ ଉପସ୍ଥିତ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି କହିଥିଲେ, ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ। ଭାରତୀୟମାନେ ଯେଉଁଠିକୁ ଯାଆନ୍ତି ସେଠାକାର ନିୟମ ସହିତ ଯୋଡ଼ିହୋଇ ଯାଆନ୍ତି। ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମମାନଙ୍କ ଦାୟିତ୍ଵ। ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ। ଏବେ କିନ୍ତୁ ସମୟରେ ପରିବର୍ତ୍ତନ ଆସିଛି। ଆମେ ପ୍ରବାସୀମାନଙ୍କୁ ଗୁରୁତ୍ଵ ଦେଉଛୁ। ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ଵ ଦେଉଛୁ ବୋଲି ମୋଦୀ କହିଥିଲେ।

ପ୍ରଥମେ ପ୍ରଧାନମନ୍ତ୍ରୀ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣମାନଙ୍କୁ ସ୍ବାଗତ ବୋଲି କହି ନିଜର ଉଦବୋଧନ ଆରମ୍ଭ କରିଥିଲେ। ସେ କହିଥିଲେ, ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ ହେଉଛି ଓଡ଼ିଶା। ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ କରିବା ପାଇଁ ବାଲିଯାତ୍ରା ଆୟୋଜନ କରାଯାଏ। ଧଉଳି ସ୍ତୁପ ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। କିଛିଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ। ସବୁଠୁ ଉତ୍ସବର ବାତାବରଣ ବୋଲି ମୋଦୀ କହିଥିଲେ। କହିଥିଲେ, ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୁତପୂର୍ବ। ଅର୍ଥନୀତିରେ ଆମ ଦେଶ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛି। ଖୁବଶୀଘ୍ର ୩ୟ ସ୍ଥାନକୁ ଉନ୍ନୀତ ହେବୁ। ଆଜି ଭାରତ ଯୁଦ୍ଧ ବିମାନ ନିର୍ମାଣ କରୁଛି। ଭାରତର କଥାକୁ ଆଜି ସାରା ବିଶ୍ଵ ଶୁଣୁଛି ବୋଲି ସେ କହିଥିଲେ।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news