ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କଥିତ ଅଛି ଯେ ମା’ ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ ମା’ ଅର୍ଦ୍ଧଚନ୍ଦ୍ର ଧାରଣ କରନ୍ତି।ଏବଂ ସିଂହ ବାହାନରେ ବିରାଜମାନ କରନ୍ତି। ଏହି ସ୍ୱରୂପରେ ମା’ଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଥାଏ । ଆଠଟି ହସ୍ତରେ ମା’ ଖଡ୍ଗ ତଥା ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି। ମା’ଙ୍କ ଆରାଧନାରେ 👇🏻
ତୃତୀୟ ଦିବସେ ଚନ୍ଦ୍ରଘଣ୍ଟା ନାମ
ଶସ୍ତ୍ରେ ସଜ୍ଜିତ ହୋଇବ
ଘଣ୍ଟା ସ୍ୱରୂପେ ମା’ ମସ୍ତକେ ତୁମ
ଚନ୍ଦ୍ର କି ଶୋଭା ପାଇବ
ଚନ୍ଦ୍ରଘଣ୍ଟା ସ୍ୱରୂପ ମା’ଙ୍କର କୈଳାଶ ପତି ଶିବଙ୍କୁ ବିବାହ କରିବା ସମୟର ନବବଧୂ ରୂପ । ନାରୀ ଜୀବନର ଏହା ଏକ ବୈବାହିକ ସୋପାନ । ଯେଉଁ ସୋପାନରେ ସେ ଆପଣାର ସମସ୍ତ ଶକ୍ତି ସାମର୍ଥ୍ୟର ସମର୍ପଣ କରିବା ଶିଖିଥାଏ । ନିଜକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥ ହୋଇଥାଏ। ମନର ଅଧିପତି ହେଉଛନ୍ତି ଚନ୍ଦ୍ର। ମନକୁ ନିଜ ବଶରେ ରଖିବାକୁ ଦୂର୍ଗାଙ୍କର ଏହି ରୂପର ଆରାଧନା କରା ଯାଇଥାଏ ।
ପୌରାଣିକ କଥାବସ୍ତୁ ଅନୁସାରେ ଯେତେବେଳେ ଅସୁରମାନଙ୍କ ଆତଙ୍କ ଏ ପୃଥିବୀରେ ବଢିବାରେ ଲାଗିଥିଲା ସେତେବେଳେ ଦେବୀ ଚନ୍ଦ୍ରଘଣ୍ଟା ରୂପରେ ଆବିର୍ଭୁତ ହୋଇଥିଲେ। ଅସୁରମାନଙ୍କର ପ୍ରଭୁ ଥିଲେ ମହିଷାସୁର, ଯାହାର ଦେବତାମାନଙ୍କ ସହିତ ଯୁଦ୍ଧ ଚାଲିଥିଲା | ମହିଷାସୁର ଦେବରାଜ ଇନ୍ଦ୍ରଙ୍କ ସିଂହାସନ ପାଇବାକୁ ଚାହୁଁ ଥିଲା । ସ୍ବର୍ଗକୁ ଶାସନ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ଥିଲା। ଏହି ଇଚ୍ଛା ଜାଣିଥିବା ସମସ୍ତ ଦେବତା ଏଥିରେ ଉତକ୍ଷିପ୍ତ ହେଲେ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କ ନିକଟରେ ଉପସ୍ଥିତ ହେଲେ। ଭଗବାନ ଶ୍ରୀହରି ଏ କଥା ଶୁଣି କ୍ରୋଧିତ ହେଲେ। କ୍ରୋଧ ହେତୁ ତିନିଜଣଙ୍କ ପାଟିରୁ ବାହାରିଥିବା ଶକ୍ତି ଦ୍ବାରା ତାଙ୍କଠାରୁ ଜଣେ ଦେବୀ ଜନ୍ମିଥିଲେ। ଯାହାଙ୍କୁ ଭଗବାନ ଶଙ୍କର ତାଙ୍କ ତ୍ରିଶୁଳ ଦେଇଥିଲେ ଏବଂ ଭଗବାନ ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ। ସେହିଭଳି ଅନ୍ୟ ଦେବତା ଏବଂ ଦେବୀମାନେ ମଧ୍ୟ ଅସ୍ତ୍ରଶସ୍ତ୍ର ମାନ ମାତାଙ୍କ ହାତରେ ଦେଇଥିଲେ। ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ। ସୂର୍ଯ୍ୟ ନିଜର ତୀକ୍ଷ୍ଣ ଶକ୍ତି ଓ ଖଣ୍ଡା ଦେଲେ, ଯାତ୍ରା ପାଇଁ ସିଂହ ବାହାନ ରୂପେ ପ୍ରଦାନ କଲେ। ଏହା ପରେ ମାତା ଚନ୍ଦ୍ରଘଣ୍ଟା ମହିଷାସୁର ପାଖରେ ପହଞ୍ଚିଥିଲେ। ଆଉ ମହିଷାସୁର ବଞ୍ଚିବା ପାଇଁ ମାଆଙ୍କ ଉପରେ ଆକ୍ରମଣ କରିଥିଲା। ଏହା ପରେ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ମାତା ଚନ୍ଦ୍ରଘଣ୍ଟା ମହିଷାସୁରଙ୍କୁ ହତ୍ୟା କରିଥିଲେ। ଏହିପରି, ମାତା ଦେବତାମାନଙ୍କୁ ସୁରକ୍ଷା ଦେଇଥିଲେ।
ଯା ଦେବୀ ସର୍ବଭୂତେଷୁ ଚନ୍ଦ୍ରଘଣ୍ଟା ରୁପେଣ ସଂସ୍ଥିତା, ନାମୋତସ୍ଥେଇ , ନାମୋତସ୍ଥେଇ , ନାମୋତସ୍ଥେଇ ।
ସତ୍ୟାନନ୍ଦ ପାଣିଗ୍ରାହୀ
More Stories
ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ।
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।