ଦେଶ ସୁରକ୍ଷାରେ ଭାରତୀୟ ନୌସେନାର ବୀରତ୍ବ, ଦକ୍ଷତା ଓ ତ୍ୟାଗ ଅତୁଳନୀୟ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସାଧାରଣ ନୌସୈନିକଙ୍କ ଐତିହାସିକ ପ୍ରଦର୍ଶନ ସମଗ୍ର ଭାରତବାସୀଙ୍କୁ ଗର୍ବିତ କରିଛି। ସାମୁଦ୍ରିକ ତଟ ସୁରକ୍ଷା ସମେତ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାରେ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନାରୀଶକ୍ତିଙ୍କ ଯୋଗଦାନ ସେନା ବାହିନୀର ଦକ୍ଷତା ବୃଦ୍ଧି କରିଥିବା ସେ କହିଛନ୍ତି।
ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ବୁଧବାର ଅନୁଷ୍ଠିତ ଭାରତୀୟ ନୌସେନାର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ମୁର୍ମୁ କହିଲେ, ସ୍ୱଦେଶୀ ଜ୍ଞାନକୌଶଳରେ ଦେଶର ୬୩ଟି ଯୁଦ୍ଧଜାହାଜ ନିର୍ମାଣ କରାଯାଇଛି। ୨୦୪୭ ସୁଦ୍ଧା ଭାରତୀୟ ସେନା ବାହିନୀ ସଂପୂର୍ଣ୍ଣ ଆତ୍ମନିର୍ଭର ହୋଇପାରିବ। ସାମୁଦ୍ରିକ ବାଣିଜ୍ୟର ଗୌରବମୟ ଇତିହାସକୁ ନୌସେନା ସବୁବେଳେ ସୁରକ୍ଷା ଦେଇ ଆସିଛି। ଭାରତର ସୁରକ୍ଷା ଓ ନିରାପତ୍ତା ସହ ବିଦେଶୀ ଶତ୍ରୁଙ୍କୁ ପ୍ରତିହତ କରିବାରେ ନୌସେନା ସଂପୂର୍ଣ୍ଣ ସକ୍ଷମ। ଏଥିଯୋଗୁ ନୌସେନା ଏବେ ପ୍ରତ୍ୟେକ ଭାରତୀୟଙ୍କ ସେନାରେ ପରିଣତ ହୋଇଛି। ବିଦେଶୀ ରାଷ୍ଟ୍ର ଗୁଡ଼ିକର ସେନା ଠାରୁ ଭାରତୀୟ ନୌସେନା ଅଧିକ ଦକ୍ଷ ଏବଂ ପରାକ୍ରମୀ। ସେନା ବାହିନୀରେ ଆଧୁନିକୀକରଣ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇ ଦକ୍ଷତା ବୃଦ୍ଧି କରାଯାଉଛି। ଅଗ୍ନିଵୀରଙ୍କ ଯୋଗଦାନ ଏ କ୍ଷେତ୍ରରେ ବେଶ ସହାୟକ ହୋଇପାରିଥିବା ସେ କହିଛନ୍ତି।
ରାଜ୍ୟପାଳ ରଘୁବର ଦାସ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନୌସେନା ଆଡମିରାଲ ଜେନେରାଲ ଦିନେଶ କେ. ତ୍ରିପାଠୀ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା, କଟକ ବାଲିଯାତ୍ରା ଏବଂ ବୋଇତ ବନ୍ଦାଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଲେ ଦେଶବାସୀଙ୍କ ସୁରକ୍ଷା ପାଇଁ ଭାରତୀୟ ନୌବାହିନୀ ସଂପୂର୍ଣ୍ଣ ଉତ୍ସର୍ଗୀକୃତ। ସବୁବେଳେ ଓ ସବୁ ସ୍ଥିତିରେ ଶତ୍ରୁଙ୍କ କଡ଼ା ମୁକାବିଲା ପାଇଁ ଭାରତୀୟ ନୌବାହିନୀ ପ୍ରସ୍ତୁତ ଥିବା ସେ କହିଛନ୍ତି।
ଏହି ଅବସରରେ ନୌସେନା ପକ୍ଷରୁ ସମୁଦ୍ର, ଆକାଶ ପଥ ଓ ବେଳାଭୂମିରେ ପ୍ରାୟ ଦୁଇ ଘଣ୍ଟା ଧରି ଦୁଃସାହସିକ ସାମରିକ କୌଶଳ ପ୍ରଦର୍ଶନ କରାଯାଇଥିଲା। ସେଥିରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ାଜାହାଜ, ୪ ଯୁଦ୍ଧ ଟ୍ୟାଙ୍କ, ୮ ସ୍ପିଡ୍ ବୋଟ୍ ଏବଂ ୩୫୦୦ ନୌସୈନିକ ଅଂଶଗ୍ରହଣ କରିଥିଲେ। ଓଡ଼ିଆ କମାଣ୍ଡର ରାହୁଲ ପଟ୍ଟନାୟକ ବିଚକ୍ଷଣ ପରାକ୍ରମ ପ୍ରଦର୍ଶନ କରିଥିଲେ। ଏୟାରକ୍ରାଫ୍ଟ ଗୁଡ଼ିକ ଆକାଶ ପଥରୁ ଜାତୀୟ ପତାକା ପ୍ରଦର୍ଶନ କରିବା ସହ ନିଆଁ ଗୁଳା ବର୍ଷା କରିଥିଲେ। ଶତ୍ରୁ ପକ୍ଷର ହେଲିକପ୍ଟରକୁ ଗୋଡ଼ାଇ ଆକ୍ରମଣ କରିବା ଦୃଶ୍ୟ ଆଚମ୍ବିତ କଲା ଭଳି ରହିଥିଲା। ସମୁଦ୍ରରୁ ଲୋକଙ୍କୁ ଉଦ୍ଧାର କରିବା ସହ ରାଷ୍ଟ୍ରପତିଙ୍କ ସମ୍ମୁଖରେ ବହୁ ଦୁଃସାହସିକ କୌଶଳ ପ୍ରଦର୍ଶନ କରିଥିଲେ। ନୌସେନାର ସବୁଠାରୁ ଦକ୍ଷ ‘ମାର୍କୋସ’ ବାହିନୀ ଦ୍ବାରା ଆତଙ୍କବାଦୀଙ୍କ କବଳରୁ ଜଣେ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା। ଯୁଦ୍ଧ ଟ୍ୟାଙ୍କ ଗୁଡ଼ିକ ଜଳ ଓ ସ୍ଥଳପଥରେ ଯୁଦ୍ଧକୌଶଳ ପ୍ରଦର୍ଶନ କରିଥିଲା।
ସେନା ବ୍ୟାଣ୍ଡର ଚିତ୍ତାକର୍ଷକ ବାଦ୍ୟ ଓ ସଙ୍ଗୀତ ପରିବେଷଣ ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ରାଷ୍ଟ୍ରୀୟ ଭାବନାର ଶିହରଣ ସୃଷ୍ଟି କରିଥିଲା। ଶତାଧିକ ମହିଳା ଯୁବ ନୌସୈନିକ ମିଳିତ ନୃତ୍ୟ କରିଥିଲେ। ନୌସୈନିକ ମାନେ ବନ୍ଧୁକରେ ଅଗ୍ନି ସଂଯୋଗ କରି ପରେଡ ସହ କୌଶଳ ଦେଖାଇଥିଲେ। ସମୁଦ୍ର ଭିତରେ ଥିବା ଯୁଦ୍ଧ ଜାହାଜ ଗୁଡିକୁ ରଙ୍ଗୀନ ଆଲୋକରେ ସଜ୍ଜିତ କରାଯାଇଥିଲା। ପାରାଚ୍ୟୁଟ ମାଧ୍ୟମରେ ଜାତୀୟ ପତାକା ପ୍ରଦର୍ଶିତ ହୋଇଥିଲା। ଟ୍ୟାଙ୍କ ଗୁଡିକରୁ ତୋପ ବର୍ଷଣ କରାଯାଇଥିଲା। ସନ୍ଧ୍ୟାରେ ମନୋରମ ଲେଜର୍ ଏବଂ ଡ୍ରୋନ୍ ଶୋ ଅନୁଷ୍ଠିତ ହୋଇଥିଲା। ନୌସେନାର ଏହି ପରାକ୍ରମ ଦେଖିବାକୁ ପେଣ୍ଠକଟା ଠାରୁ ଶିପସରୁବାଲି ପର୍ଯ୍ୟନ୍ତ ପ୍ରାୟ ୭ କିମି ସମୁଦ୍ର ବେଳାଭୂମି ଲୋକାରଣ୍ୟ ହୋଇଥିଲା। ପ୍ରାୟ ତିନିରୁ ଚାରି ଲକ୍ଷ ଲୋକ ନୌସେନା ପ୍ରତିଷ୍ଠା ଦିବସ ସମାରୋହରେ ଅଂଶଗ୍ରହଣ କରିଥିଲେ।
ମୋ ଟିଭି ଓଡିଶା, ପୁରୀ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।