ମୋ ଟିଭି ଓଡିଶା / ଭୁବନେଶ୍ୱର :
ଦୀର୍ଘ ଚାରି ଦଶନ୍ଧି ରୁ ଊର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ର ସହ ସଂଶ୍ଳିଷ୍ଟ ଅଗ୍ରଣୀ ସଂସ୍ଥା “ଉତ୍କଳ ସିନେ ଚାମ୍ବର ଅଫ କମର୍ସ”(UCCC) କଟକ, ତରଫରୁ ଏବଂ ଏହାର ପ୍ରଯୋଜକ, ବିତରକ ସଂସ୍ଥା ତଥା UCCC ସହ ଅନୁବନ୍ଧିତ ଅନ୍ୟାନ୍ୟ ସମସ୍ତ ବିଭାଗିୟ ସଂସ୍ଥା ମାନଙ୍କ ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ମହୋଦୟ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଉତ୍କଳ ସିନେ ଚାମ୍ବର ଅଫ କମର୍ସ (UCCC) କଟକ,ର ସାଧାରଣ ସମ୍ପାଦକ ଶ୍ରୀ ଜୀବେଶ କିଶୋର ସୁନ୍ଦରାୟ, ଓ ପ୍ରଯୋଜକ ସଂଘର ସମ୍ପାଦକ ଶ୍ରୀ ରଣଜିତ କୁମାର ରାଉତ ଙ୍କ ଦସ୍ତଖତ ସମ୍ବଳିତ ମାନପତ୍ର ସହ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ର ବିକାଶ ପାଇଁ ଆଶୁ ପଦକ୍ଷେପ ସ୍ୱରୂପ କେତେଗୁଡ଼ିଏ ଅତ୍ୟାବଶ୍ୟକୀୟ ବିନ୍ଦୁ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ର ସାମୁହିକ ବିକାଶ ତଥା ଏହି ଶିଳ୍ପ ସହ ସଂଶ୍ଳିଷ୍ଟ ସମସ୍ତ ନିର୍ମାତା, ବିତରକ, ପ୍ରଦର୍ଶକ, ନିର୍ଦ୍ଦେଶକ, କ୍ୟାମେର। ମ୍ୟାନ, କଳାକାର, କାହାଣୀ ଓ ସଂଳାପକାର, କଳା ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ନୃତ୍ୟ ଶିଳ୍ପୀ, ସଙ୍ଗୀତକାର , ଟେକ୍ନିସିଆନ୍ ଇତ୍ୟାଦି ଓ କୁଶଳୀ, ଅର୍ଦ୍ଧ କୁଶଳୀ କର୍ମଚାରୀ ମାନଙ୍କ ଜୀବନ ଜୀବିକା ର ଉନ୍ନତି ପାଇଁ ” ଓଡ଼ିଶା ସିନେ ପଲିସି” ଉତ୍କଳ ସିନେ ଚାମ୍ବର ଅଫ କମର୍ସ,କଟକ ଏବଂ ବିଗତ ସରକାର ଙ୍କ ମିଳିତ ଉଦ୍ୟମରେ ଦୀର୍ଘ ଦିନ ହେଲା ଗଠନ ହୋଇଥିଲେ ମଧ୍ୟ ତାହା ଏଯାବତ ଘୋଷଣା କରାଯାଇ ପାରିଲା ନାହିଁ।
ପ୍ରଯୋଜକ ସଂଘର ଉପସଭାପତି ଶ୍ରୀ ଅଜୟ ରାଉତରାୟ ଉକ୍ତ ସିନେ ପଲିସି ର ଏକ ସଂଶୋଧିତ ସଂସ୍କରଣ ର ବ୍ଲୁ ପ୍ରିଣ୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଥିଲେ ଏବଂ ଏହି ପଲିସି ଲାଗୁ କରିବା ସମୟରେ ଆବଶ୍ୟକୀୟ ଗଠନମୂଳକ ପରାମର୍ଶ ନିମନ୍ତେ ଅଭିଜ୍ଞତା ଦୃଷ୍ଟିରୁ UCCC, କଟକ କୁ Nodal Agency ଭାବରେ ନିୟୋଜିତ କରିବାକୁ ପ୍ରସ୍ତାବ ରଖିଥିଲେ।
ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି (Subsidy) ଯାହା ବିଗତ ସରକାର ଙ୍କ କାର୍ଯ୍ୟକାଳ ସମୟରେ ବନ୍ଦ କରିଦିଆଯାଇଥିଲା ତାହାକୁ ପୁନଃ ପ୍ରଚଳନ କରିବାକୁ ପ୍ରଯୋଜକ ସଂଘର କାର୍ଯ୍ୟକାରୀଣି ସଭ୍ୟ ଓ ବିତରଣ ସଂସ୍ଥା ର କୋଷାଧ୍ୟକ୍ଷ ଶ୍ରୀ ଶ୍ରୀଧର ମାର୍ଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ।
ଏତଦବ୍ୟତୀତ ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟରୁ ବିଶେଷକରି ବିଗତ ସରକାର ଙ୍କ କାର୍ଯ୍ୟକାଳ ସମୟରେ ବନ୍ଦ ହେଇଯାଇଥିବା ସିନେମା ହଲ୍ ଗୁଡ଼ିକର ପୁନରୁଦ୍ଧାର ଓ ନୂତନ ସିନେମା ହଲ୍ ନିର୍ମାଣ ଓ ଚଳଚ୍ଚିତ୍ର ବିତରଣ ପାଇଁ ସୁଦୂର ପ୍ରସାରି ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ଏବଂ କଳିଙ୍ଗ ଷ୍ଟୁଡିଓ ର ପୁନରୁଦ୍ଧାର, ନବିକରଣ ଓ ଏହାର ସୁପରିଚାଳନା ନିମନ୍ତେ ଉତ୍କଳ ସିନେ ଚାମ୍ବର ଅଫ କମର୍ସ, କଟକ ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହ ସଂଶ୍ଳିଷ୍ଟ ଅଗ୍ରଣୀ ବିଭାଗ ମାନଙ୍କ ମଧ୍ୟରୁ କେତେକ ଅଭିଜ୍ଞ ସଦସ୍ୟ ମାନଙ୍କୁ ନେଇ ଏକ ପରାମର୍ଶ ଦାତା କମିଟିର ଗଠନ କରାଯିବାକୁ ପ୍ରସ୍ତାବ ରଖାଯାଇଥିଲା।
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ର ସର୍ବାଙ୍ଗିନ ବିକାଶ ପାଇଁ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ଏବଂ ଉକ୍ତ କାର୍ଯ୍ୟରେ ଆଗାମୀ ଦିନରେ ଉତ୍କଳ ସିନେ ଚାମ୍ବର ଅଫ କମର୍ସ ର ସମସ୍ତ ସହଯୋଗ ଓ ପରାମର୍ଶ କାମନା କରିଥିଲେ। ସାକ୍ଷାତ ସମୟରେ ପ୍ରଖ୍ୟାତ ବୃତ୍ତଚିତ୍ର ନିର୍ମାତା ଶ୍ରୀ ଅମ୍ବୁଜ ଶତପଥୀ ଓ ସିନେ କଳାକାର ସାଗର ଓ ଶ୍ରୀ ବେଣୁଧର ସାହୁ ଉପସ୍ଥିତ ଥିଲେ।
Great! Hopefully the new Government will understand the difficulties of Odia Cinema and the Theatre problems, If the BJP Government will favour then we will be grateful
Hope to see Odisha prosper in the Global content market with a rightful and much awaited Robust Film Policy along with an appropriate AVGC Policy in coming future.