November 1, 2024

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଏକଛତ୍ରବାଦ ଶାସକଙ୍କ ଚକ୍ରାନ୍ତରୁ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ରକ୍ଷା କରିବାର ଏହା ଶେଷ ସୁଯୋଗ

Advertisement

ମୋଟିଭି ଓଡିଶା : ନୂଆ ଦିଲ୍ଲୀ : ଆଜି ଲୋକସଭାର ଅବଶିଷ୍ଟ ୫୭ ଆସନ ପାଇଁ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ପଞ୍ଜାବ ଭୋଟରଙ୍କ ଉଦ୍ଦେଶ୍ୟରେ ତିନି ପୃଷ୍ଠା ସମ୍ବଳିତ ଖୋଲା ଚିଠି ଲେଖିଛନ୍ତି। ଏକଛତ୍ରବାଦ ଶାସକଙ୍କ ଚକ୍ରାନ୍ତରୁ ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ରକ୍ଷା କରିବାର ଏହା ଶେଷ ସୁଯୋଗ ବୋଲି ଡ. ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି। ବିଜେପି କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଉଲ୍ଲେଖ କରିନଥିଲେ ସୁଦ୍ଧା ଡ. ସିଂହ ପରୋକ୍ଷରେ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଇଙ୍ଗିତ କରିଥିବାର ସଙ୍କେତ ମିଳୁଛି। ଏହାବ୍ୟତୀତ ମୋଦୀ ସରକାରଙ୍କ ୧୦ ବର୍ଷର ଶାସନକାଳରେ ଦେଶର ଅର୍ଥନୀତି କିପରି ବିପର୍ଯ୍ୟସ୍ତ ହୋଇପଡିଛି, ସେ ସମ୍ପର୍କରେ ମଧ୍ୟ ଡ. ସିଂହ ଚିଠିରେ ଦର୍ଶାଇଛନ୍ତି।

୧୯୯୧ରେ ଡ. ସିଂହ କେନ୍ଦ୍ରରେ ଅର୍ଥମନ୍ତ୍ରୀ ଥିବାବେଳେ ଭାରତୀୟ ଅର୍ଥନୀତିରେ ଉଦାରୀକରଣ ଦେଖିବାକୁ ମିଳିଥିଲା। ୟୁପିଏ (୨୦୦୪-୨୦୧୪) ଏବଂ ଏନ୍‌ଡିଏ (୨୦୧୪-୨୦୨୪) ଶାସନ କାଳରେ ଦେଶର ଅର୍ଥ ବ୍ୟବସ୍ଥାକୁ ସେ ତୁଳନା କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଏନ୍‌ଡିଏ ସରକାରଙ୍କ ଅମଳରେ ବିମୁଦ୍ରାୟନ, ତ୍ରୁଟିପୂର୍ଣ୍ଣ ଜିଏସ୍‌ଟି, କୋଭିଡ୍‌ ପରିଚାଳନାରେ ଅପାରଗତା ଯୋଗୁଁ ଦେଶର ଜିଡିପି (ମୋଟ ଜାତୀୟ ଉତ୍ପାଦ) ବୃଦ୍ଧି ପାଇନଥିବା ସେ ଅଭିଯୋଗ କରିଛନ୍ତି। ୟୁପିଏ ସରକାରଙ୍କ ଅମଳରେ ଜିଡିପି ୮ ପ୍ରତିଶତ ଛୁଇଁଥିବାବେଳେ ବିଜେପି ସରକାରଙ୍କ ଅମଳରେ ଏହା ୬ ପ୍ରତିଶତ ତଳକୁ ଖସିଥିବା ସେ କହିଛନ୍ତି।

Advertisement

ଏହି ପ୍ରସଙ୍ଗରେ ସେ ବିଶ୍ବ ବ୍ୟାଙ୍କ ରିପୋର୍ଟକୁ ଦର୍ଶାଇଛନ୍ତି। ତଦନୁଯାୟୀ ୨୦୧୦ରେ ଦେଶର ଜିଡିପି ୮.୫ ପ୍ରତିଶତ ଥିବାବେଳେ ୨୦୨୦ (କୋଭିଡ୍‌)ରେ ଏହା ମାଇନସ୍‌ ୫.୮ ରହିଥିବା ଜଣାପଡିଛି।ଏହାବ୍ୟତୀତ ଡ. ସିଂହ ଉକ୍ତ ଚିଠିରେ କୃଷକ ଧର୍ମଘଟ, ଯୁବଗୋଷ୍ଠୀଙ୍କ ବେକାରୀ ସମସ୍ୟା, ଆୟ ଅସମାନତା ଏବଂ ଅଗ୍ନିବୀର ପ୍ରସଙ୍ଗରେ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି। ଶେଷ‌ରେ ଡ. ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି। ମୋଦୀଙ୍କ ଭଳି କୌଣସି ପ୍ରଧାନମନ୍ତ୍ରୀ ପ୍ରଚାର ସମୟରେ ଘୃଣ୍ୟ, ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନଥିଲେ ବୋଲି ଡ. ସିଂହ ଅଭିଯୋଗ କରିଛନ୍ତି। ତେଣୁ ଦେଶକୁ ଏଭଳି ଶକ୍ତିଙ୍କ କବଳରୁ ମୁକ୍ତ କରିବାକୁ ଡ. ସିଂହ ଚିଠିରେ ଭୋଟରଙ୍କୁ ଆହ୍ବାନ ଦେଇଛନ୍ତି।

Advertisement

Latest news