ଭୁବନେଶ୍ବର ( ମୋ ଟିଭି ଓଡିଶା ) : ଆଜି ( ଶନିବାର ) ବିଏମ୍ସି ପାଳିବାକୁ ଯାଉଛି ସ୍ବାୟତ୍ତ ଶାସନ ଦିବସ। ଏଥିପାଇଁ ଚାଲିଥିବା ଜୋରଦାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଏଥର ଉଦ୍ଘାଟନ ପାଇଁ କେତେକ ୱାର୍ଡ ଅଫିସ, ରାସ୍ତା, ନଳାକୁ ଛାଡ଼ିଦେଲେ କୌଣସି ବଡ଼ ପ୍ରକଳ୍ପ ବିଏମ୍ସି ହାତରେ ନାହିଁ। ଏଣୁ ଏହାକୁ ପ୍ରକଳ୍ପ ନିକଟରେ ଉଦ୍ଘାଟନ ନ କରି ବିଏମ୍ସି କାର୍ଯ୍ୟାଳୟ ପରିସରରେ ଏକତ୍ର ଫଳକ ସ୍ଥାପନ କରାଯାଇ ଲୋକାର୍ପଣ ଯୋଜନା ହୋଇଛି। ପରେ ଏହି ସବୁ ଫଳକକୁ ସମ୍ପୃକ୍ତ ପ୍ରକଳ୍ପ ସ୍ଥାନକୁ ନିଆଯାଇ ସ୍ଥାପନ କରାଯିବ। ଏଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯେଉଁ ଭାଷଣ ଦେବେ ତାହାକୁ ଲାଇଭ୍ ଦେଖିବା ପାଇଁ ଏଲ୍ଇଡି ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି।
ସକାଳେ ପତାକା ଉତ୍ତୋଳନ ଓ ସନ୍ଧ୍ୟାରେ ଜୟଦେବ ଭବନରେ ସମ୍ବର୍ଦ୍ଧନା ଓ ମୁଖପତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ଏଥିରେ ଆଇନ ମନ୍ତ୍ରୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଯୋଗ ଦେବେ। ତେବେ ଭୁବନେଶ୍ବରରେ ଜନସଂଖ୍ୟା ବଢ଼ୁଥିବାରୁ ହାତପାହାନ୍ତାରେ ସେବା ଯୋଗାଇ ଦେବାକୁ ବିଏମ୍ସିକୁ ୬ ଜୋନ୍ ବିଶିଷ୍ଟ କରିବା ଘୋଷଣାକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ଏ ଯାବତ୍ ହୋଇ ପାରିଲା ନାହିଁ। ସ୍ବାୟତ୍ତ ଶାସନ ଦିବସ ଅବସରରେ ୬ ଜୋନ୍ କାର୍ଯ୍ୟକ୍ଷମ ହେବା ନେଇ କୌଣସି ଯୋଜନା ମଧ୍ୟ ନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ନିକଟ ଅତୀତରେ ଏକ ମାମଲାର ବିଚାର କଲା ବେଳେ ହାଇକୋର୍ଟ ବିଏମ୍ସିରେ ସିଟିଜେନ୍ ଚାର୍ଟର ଉପରେ ଗୁରୁତ୍ବାରୋପ କରିଛନ୍ତି। ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ଶତ ପ୍ରତିଶତ ସକ୍ଷମ ହୋଇ ନଥିବାରୁ ଏହାକୁ ହାଇକୋର୍ଟ ଗୁରୁତ୍ବର ସହ ନେଇଛନ୍ତି। ବାସ୍ତବରେ ସହରରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ବେଳେ ଉପକଣ୍ଠ ବା ପଞ୍ଚାୟତରେ ଥିବା ଗ୍ରାମଗୁଡ଼ିକ ବିଏମ୍ସିରେ ଯୋଡ଼ି ହେଉଛି। ଏଣୁ କଳେବର ବଢ଼ିବା ସହ ଅଭିଯୋଗ ମଧ୍ୟ ବଢ଼ୁଛି। ଏହାକୁ ଆଖି ଆଗରେ ରଖି ଗତ ବର୍ଷ ଅକ୍ଟୋବର ମାସରେ ସରକାର ବିଏମ୍ସିର ୬ ଜୋନ୍ ପ୍ରସ୍ତାବ ଉପରେ ମୋହର ମାରିଥିଲେ। ଏଥିପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଅଧିକାରୀ ନିଯୁକ୍ତି ଦେବାକୁ କହିଥିଲେ। କିଛି ଅଧିକାରୀଙ୍କୁ ନିଯୁକ୍ତ ମଧ୍ୟ ମିଳିଲା। ପୂର୍ବରୁ ଜୋନାଲ୍ ଡେପୁଟି କମିସନର(ଜେଡ୍ଡିସି) ଜୋନ୍ର ମୁଖ୍ୟ ରହୁଥିଲେ। ତାଙ୍କ ଅଧୀନରେ ଅନ୍ୟ କର୍ମଚାରୀମାନେ ରହୁଥିଲେ। ପ୍ରଥମ ଥର ପାଇଁ ଗୋଟିଏ ପାହ୍ୟାର ଦୁଇ ଜଣ ଅଫିସରଙ୍କୁ ଗୋଟିଏ ଜୋନ୍ରେ ରଖାଯାଇଥିଲା। କିନ୍ତୁ ବିଜ୍ଞପ୍ତି ମୁତାବକ ଶତପ୍ରତିଶତ ଅଫିସର ବା କର୍ମଚାରୀ ଆସି ନଥିଲେ। ବରଂ ଯେଉଁ ଅଧିକାରୀଙ୍କୁ ନିଯୁକ୍ତି ମିଳିଲା ସେମାନଙ୍କୁ ବସିବା ପାଇଁ ଜାଗା ମିଳିଲାନି। ଗୋଟିଏ ଚାମ୍ବରରେ ୪ ଜଣ ଅଧିକାରୀ ବସି ରହିଲେ। ଦୀର୍ଘ ମାସେ କାଳ ବସି ରହିବା ପରେ କିଛି ଅଧିକାରୀଙ୍କୁ ପୁଣି ଥରେ ଅନ୍ୟତ୍ର ନେଇ ନିଆଗଲା। ଫଳରେ ଏହି ୬ ଜୋନ୍ ବ୍ୟବସ୍ଥା ଫେଲ୍ ମାରିଲା। ଏବେ ବି ସମାନ ଅବସ୍ଥା ଜାରି ରହିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।