ଭାରତର ଜଣେ ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଜଣେ ସାହସୀ ଯୋଦ୍ଧା ଥିଲେ। ତାଙ୍କ ୱଜସ୍ବିନୀ ଭାଷଣରେ ହଜାର ହଜାର ଭାରତୀୟ ଦେଶପ୍ରେମରେ ଉଦ୍ବୁଦ୍ଧ ହୋଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ ବିଦେଶ ମାଟିରୁ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ଆହ୍ବାନରେ ଯୁବ ଗୋଷ୍ଠୀଙ୍କ ମନରେ ସୃଷ୍ଟି କରିଥିଲେ ଦେଶପ୍ରେମର ବହ୍ନି । ବିଚକ୍ଷଣ ପ୍ରତିଭା, ଅଦମ୍ୟ ଶକ୍ତି ଏବଂ ତାଙ୍କ ଭିତରେ ଥିବା ବିଦ୍ବାନୀ ମନୋଭାବ ତାଙ୍କୁ ନେତାଜୀର ଆଖ୍ୟା ଦେଇଥିଲା । ସେ ଥିଲେ ଓଡ଼ିଶା ଆଉ କଟକ ମାଟିର ପୁଅ । ନେତାଜୀ ଜୀବନର ପ୍ରଥମ ତଥା ଗୁରୁତ୍ବପୂର୍ଣ ୧୬ ବର୍ଷ ବିତାଇଥିଲେ କଟକର ମାଟି, ପାଣି, ପବନରେ । ୧୮୯୭ ମସିହା ଆଜିର ଦିନରେ ଜାନକୀ ନାଥ ବୋଷ ଓ ପ୍ରଭାବତା ଦେବୀଙ୍କ ନବମ ସନ୍ତାନ ଭାବେ କଟକ ଠାରେ ସୁଭାଷ ଜନ୍ମ ନେଇଥିଲେ। ରେଭେନ୍ସା କଲିଜିଏଟ୍ ସ୍କୁଲରେ ପାଠପଢ଼ି ସେ ମାଟ୍ରିକ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ | ଛାତ୍ର ଜୀବନରେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ତାଙ୍କୁ ଅନୁପ୍ରାଣିତ କରିଥିଲା | ୧୯୨୦ ମସିହା ଆଇସିଏସ୍ ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ପରବର୍ତ୍ତୀ ସମୟରେ ୧୯୨୧ ମସିହାରେ ଭାରତରେ ଘଟିଥିବା ଜାଲିୱାନାବାଗ ହତ୍ୟାକାଣ୍ଡ ଫଳରେ ସୁଭାଷ ଅଧାରୁ ଆଇ ସି ଏସ୍ ପ୍ରଶିକ୍ଷଣ ଛାଡି ସ୍ତ୍ରଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାରିସୀତାରାମୟାଙ୍କୁ ହରାଇ ନେତାଜୀ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ ମସିହାରେ ‘ଫରୱାର୍ଡ ବ୍ଲକ୍’ ନାମକ ଏକ ରାଜୈନିତକ ଦଳ ଗଠନ କରି ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ ଜାରି ରଖିଥିଲେ | ସଶସ୍ତ୍ର ଆନ୍ଦୋଳନ ଦ୍ବାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ବାସ କରୁଥିଲେ | ଭାରତର ସ୍ବାଧୀନତା ପାଇଁ ୧୯୪୧ ଜାନୁୟାରୀ ୧୭ ତାରିଖରେ ସେଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ୍ ରୁଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ। ବର୍ଲିନ୍ରୁ ଆଜାଦ ହିନ୍ଦୁ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ | ସୁଭାଷ ସିଙ୍ଗାପୁରରେ ଆଳାଦହିନ୍ଦ୍ ଫୌଜର ଦାୟିତ୍ବ ଗ୍ରହଣ କଲେ । ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ ଦିନ ସେଠାରେ ସେ ଏକ ଅସ୍ଥାୟୀ ସ୍ବାଧୀନ ସରକାର ଗଠନ କଲେ ।ସେହିଦିନଠାରୁ ସେ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦେଇଥିଲେ | ୧୯୪୪ ମାର୍ଚ୍ଚ ୧୮ ତାରିଖରେ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା | ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ୍ ଫୌଜ ଉପରକୁ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା | ଅଗଷ୍ଟ ୧୮, ୧୯୪୫ରେ ନେତାଜୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ହେଲେ କେହି ଦେଖ ନ ଥିଲେ ସୁଭାଷଙ୍କ ନିର୍ଜୀବ ଶରୀରକୁ। ସେଥିପାଇଁ ଆଜି ବି ନେତାଜୀଙ୍କ ମୃତ୍ୟୁ, ରହସ୍ୟ ଘେରରେ ରହିଛି । ନେତାଜୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିନକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯାଉଛି।
୨୩ ଜାନୁଆରି ୧୮୦୯ ଭାରତ ଇତିହାସର ଏକ ପ୍ରମୁଖ ଦିବସ । ଏହି ଦିନ ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏ ଧରାପୃଷ୍ଠରେ ଅବତରଣ କରିଥିଲେ ସମ୍ବଲପୁର ଜିଲ୍ଲାର ବୀର ପ୍ରସବିନୀ ଖିଣ୍ଡା ମାଟିରେ। ନବ ଯୌବନରେ ପଦାର୍ପଣ ସମୟ। ଯେଉଁ ବୟସରେ ପିଲାମାନେ ପାଠପଢ଼ା, ଖେଳକୌତୁକରେ ମସ୍ଗୁଲ ରହନ୍ତି, ସେହି ବୟସରେ ହିଁ ଅସ୍ତ୍ର ଧରି ଇଂରେଜ ଶାସନ ବିରୋଧରେ ସ୍ୱର ଉଠାଇଥିଲେ ସୁରେନ୍ଦ୍ର ସାଏ। ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ସୁପୁତ୍ର ସୁରେନ୍ଦ୍ର ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ।ସମ୍ୱଲପୁରକୁ ଇଂରେଜମାନେ ପଶିବା ପଛରେ ମରହଟ୍ଟା ଆକ୍ରମଣ ଏକ ଘଟଣା ବୋଲି ବିବେଚନା କରାଯାଏ। ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ୱଲପୁର ଏକ ପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲା। କେହି ଉତ୍ତରାଧିକାରୀ ନଥିବାରୁ ରାଜା ମହାରାଜ ସାଏଙ୍କ ନିଧନ ପରେ ଇଂରେଜମାନେ କାଠପୁତୁଳି ଭଳି ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ଗାଦିରେ ବସାଇଥିଲେ। ରାଣୀ ମୋହନ କୁମାରୀଙ୍କ ରାଜସ୍ବ ନୀତିକୁ ନେଇ ସ୍ଥାନୀୟ ଜମିଦାରମାନେ ଅସନ୍ତୁଷ୍ଟ ଥିଲେ। ତାଙ୍କ ଅନ୍ୟ କେତେକ ନୀତି ଯୋଗୁ ସେ ଲୋକପ୍ରିୟତା ହରାଇ ବସିଥିଲେ। ସୁରେନ୍ଦ୍ର ସାଏ ରାଜ ସିଂହାସନର ପ୍ରବଳ ଦାବିଦାର ଥିଲେ। ପିତା ଧର୍ମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ। ମାତ୍ର ୧୮ ବର୍ଷ ବୟସରେ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତେବେ ୧୮୪୦ରେ ସମ୍ୱଲପୁର ଦେହୁରୀପାଲିରେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତଙ୍କୁ ଇଂରେଜମାନେ ଧରି ନେଇଥିଲେ। ସେତେବେଳେ ସୁରେନ୍ଦ୍ରଙ୍କ ପୁତ୍ର ମିତ୍ରଭାନୁଙ୍କୁ ମାତ୍ର ଏକ ବର୍ଷ ହୋଇଥିଲା (ଗାଂଗପୁର ରାଜ୍ୟ ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ କୁମାରୀଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ)। ସୁରେନ୍ଦ୍ରଙ୍କୁ ପାଞ୍ଚ ବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରିବାଗ ଜେଲ୍ରେ ବନ୍ଦୀ ରଖାଯାଇଥିଲା। ଇଂରେଜମାନେ ସୁରେନ୍ଦ୍ର ସାଏଙ୍କୁ ଏତେ ଭୟ କରୁଥିଲେ ଯେ କାରାଦଣ୍ଡ ଅବଧି ସରିବା ପରେ ବି ତାଙ୍କୁ କାରାମୁକ୍ତ କରିନଥିଲେ।
ଅସୀମ ତ୍ୟାଗ ଓ ବୀରତ୍ଵର ପ୍ରତୀକ ସେହି ଦୁଇ ଜନ ନେତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଆଜି ଜନ୍ମ ଦିନ। ସେହି ପୁଣ୍ୟତିଥିରେ ସେହି ବୀର ବିପ୍ଳବୀଙ୍କୁ ସ୍ମରଣ କରିବା ଆମ ସମସ୍ତଙ୍କ ପାଇଁ ଏକ ଅପୂର୍ବ ସୁଯୋଗ।
ମୋ ଟିଭି ଓଡିଶା, ସତ୍ୟାନନ୍ଦ ପାଣିଗ୍ରାହୀ
More Stories
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।