January 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବାଲିଖଣ୍ଡ ଗ୍ରାମ୍ୟବ୍ୟାଙ୍କ ଡକାୟତି ଘଟଣାରେ ଦୁଇ ଗିରଫ

ବାଲିଖଣ୍ଡ ଗ୍ରାମ୍ୟବ୍ୟାଙ୍କ ଡକାୟତି ଘଟଣାରେ ଦୁଇ ଗିରଫ, ସୋର ଥାନାରେ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପିଙ୍କ ସାମ୍ବାଦିକ ସମ୍ମିଳନୀ l


ସିମୁଳିଆ ଥାନା ବାଲିଖଣ୍ଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଚୋରିରେ ବ୍ୟବହୃତ ସାମଗ୍ରୀକୁ ଜବତ କଲା ସିମୁଳିଆ ପୁଲିସ। ଏ ବାବଦରେ ସୋର ଥାନାରେ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ସାଵରଙ୍ଗ ଥାନା ଗୋରାମାଟି ଗ୍ରାମର ଚିନ୍ମୟ କୁମାର ଦାସ(୩୩) ଆନ୍ଦ୍ରପ୍ରଦେଶ ଗୁଣ୍ଟୁର ଅଂଚଳରେ କାମ କରୁଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟର ମୋଟବାରି ଥାନା ହମିଦପୁର ଚାର ଅଂଚଳର ଇଟୁ ମଣ୍ଡଳ ସହ ଦେଖା ହେବା ପରେ ଏକ ବ୍ୟାଙ୍କ ଚୋରି ପାଇଁ ଯୋଜନା କରିଥିଲେ। ପରେ ପଶ୍ଚିମବଙ୍ଗ ଅଂଚଳର ଆଉ ଦୁଇଜଣ ସହଯୋଗୀ ମୁନା ଚୌଧୁରୀ ଓ ରଞ୍ଜିତ ମଣ୍ଡଳ ଏବଂ ଝାରଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲ୍ଲା ରାଜମହଲ ଥାନା ଅଧିନ ମହମ୍ମଦ ଜାମିଲ ଶେଖ ଓ ଅଜ୍ଜୁଲ ଶେଖଙ୍କ ସମ୍ପର୍କରେ ଆସିଥିଲେ। ପରେ ଦୁଇମାସ ପୂର୍ବରୁ ବାଲିଖଣ୍ଡ ଗ୍ରାମ୍ୟ ବ୍ୟାଙ୍କ ଲୁଟ ପାଇଁ ଯୋଜନା କରିଥିଲେ। ଗତ ୨୩ ତାରିଖରେ ସମସ୍ତେ ଭଦ୍ରକ ଅଂଚଳରେ ଭିନ୍ନ ଭିନ୍ନ ସ୍ଥାନରେ ହୋଟେଲ ରୁମରେ ରହିଥିଲେ। ଏବଂ ୨୪ ତାରିଖ ସନ୍ଧ୍ୟାରେ ଭଦ୍ରକ ବଜାରରୁ ଗ୍ୟାସ କଟର ଏବଂ ଅକ୍ସୀଜେନ ସିଲିଣ୍ଡର ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ପରେ ଏକ ଅଟୋଯୋଗେ ଉକ୍ତ ବ୍ୟାଙ୍କର ପଛପଟେ ଏକ ପଡିଆରେ ରାତି ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ବ୍ୟାଙ୍କ ଭିତରକୁ ପ୍ରବେଶ କରି ଗ୍ୟାସ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ ରୁମ କାଟିବା ପାଇଁ ଚେଷ୍ଟା କରି ସେଥିରେ ବିଫଳ ହେବା ପରେ ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସେଠାରୁ ଫେରାର ହୋଇଯାଇଥିଲେ।

ଏବାଵଦରେ ସିମୁଳିଆ ଥାନାରେ ଅଭିଯୋଗ ହେବାପରେ ବାଲେଶ୍ୱର ଏସ୍ପିଙ୍କ ନିର୍ଦେଶରେ ସୋର ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଓ ସିମୁଳିଆ ଥାନା ଏସଆଇ ଦିଲୀପ କୁମାର ସାମଲଙ୍କ ସହ ଭିନ୍ନ ଭିନ୍ନ ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ପୁଲିସ ସାବରଙ୍ଗ ଅଞ୍ଚଳର ଅଭିଯୁକ୍ତ ଚିନ୍ମୟ ଦାସ ଏବଂ ଝାଡ଼ଖଣ୍ଡ ଅଞ୍ଚଳର ଅଜୁଲ ଶେଖକୁ ଭଦ୍ରକ ରେଳ ଷ୍ଟେସନରୁ ଗିରଫ କରିଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ୫ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଗୋଟିଏ ଛୋଟ ଗ୍ୟାସ ସିଲିଣ୍ଡର,ଦୁଇଟି ଅକ୍ସୀଜେନ ସିଲିଣ୍ଡର, ଦୁଇଟି ହାର୍ଡ ଡିସ୍କ ଓ କଟର ସାମଗ୍ରୀ ଜବତ କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଏବଂ ସିମୁଳିଆ ଥାନା ଏସଆଇ ଦିଲ୍ଲୀପ କୁମାର ସାମଲଙ୍କ ସମେତ ସୋର ଥାନାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ମୋ ଟିଭି ଓଡିଶା, ସୋର

Latest news