January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନୂଆଦିଲ୍ଲୀରେ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି ।

ଭୁବନେଶ୍ୱର (ମୋ ଟିଭି ଓଡିଶା) :

ନୂଆଦିଲ୍ଲୀରେ ଆୟୋଜିତ ଆଇଡିଏସପିର ୨୦ ବର୍ଷିଆ ସ୍ମାରକୀ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ନିରୀକ୍ଷଣକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସ୍ୱୀକୃତି ଓଡିଶାର ଜନସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ନିରୀକ୍ଷଣ ୟୁନିଟର ଉତ୍ସର୍ଗିକୃତ ସେବା ମନୋଭାବ ଏବଂ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ଡ଼ ପ୍ରମିଳା ବରାଳ ଏବଂ ଯୁଗ୍ମ-ନିର୍ଦ୍ଦେଶକ-ତଥା-ଏସଏସଓ ଆଇଡିଏସପି ଡ଼ ଅଶୋକ କୁମାର ପାଇକରାୟ ଦିଲ୍ଲୀଠାରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ବିପର୍ଯ୍ୟୟ, ବନ୍ୟା, ବାତ୍ୟା ସମୟରେ ରାଜ୍ୟ ନିରୀକ୍ଷଣ ୟୁନିଟ ୨୪ ଘଣ୍ଟିଆ କାର୍ଯ୍ୟକରି ବିଭିନ୍ନ ରୋଗକୁ ଠିକ୍ ସମୟରେ ଚିହ୍ନଟ କରିବା ସହ ସେଗୁଡିକର ମୁକାବିଲା ସୁନିଶ୍ଚିତ କରିଥାଏ । କଣ୍ଟ୍ରୋଲ ରୁମ୍ ଗୁଡିକ ରୋଗର ଧାରା ଉପରେ ତୀକ୍ଷ୍ଣ ନଜର ରଖିବା ସହ ପ୍ରାପ୍ତ ତଥ୍ୟର ବିଶ୍ଳେଷଣ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି । ଏହି ସକ୍ରିୟ ଆଭିମୁଖ୍ୟ ଜନସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ସହିତ ଅନେକ ମହାମାରୀର ପ୍ରାରମ୍ଭିକ ଚିହ୍ନଟ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ ନିରୀକ୍ଷଣ ୟୁନିଟ ସକ୍ଷମ ହୋଇପାରିଛି । ରାଜ୍ୟ ନିରୀକ୍ଷଣ ୟୁନିଟ ଦ୍ୱାରା ଯଥା ସମୟରେ ରୋଗ ନିରୀକ୍ଷଣ ପାଇଁ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପ୍ଲାଟଫର୍ମ (ଆଇଏଚ୍ଆଇପି)ର ସଫଳ ରୂପାୟନ କରାଯାଇ ନିୟମିତ ତଦାରଖ କରାଯାଉଛି ।

ଭେକ୍ଟରବାହିତ, ଖାଦ୍ୟବାହିତ, ଜଳବାହିତ, ଜୁନୋଟିକ୍ସରୁ ଉତ୍ପନ୍ନ ରୋଗ ଓ ଅନ୍ୟାନ୍ୟ ରୋଗର ପ୍ରାଦୁର୍ଭାବକୁ ଠିକ୍ ସମୟରେ ଚିହ୍ନଟ ଏବଂ ଏଗୁଡିକର ସଠିକ ଅନୁସନ୍ଧାନ ପାଇଁ ସମୟୋପଯୋଗୀ ଡାଟା ଏଣ୍ଟ୍ରି ଏବଂ ତାହାର ବିଶ୍ଳେଷଣ କରାଯାଉଛି । ଏହା ସହିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ସମୁଚିତ ସମନ୍ୱୟ ମାଧ୍ୟମରେ ସଂକ୍ରମଣର ଦ୍ରୁତ ମୁକାବିଲା କରାଯାଉଛି ।

ସଂକ୍ରମଣ ପ୍ରବଣ ରୋଗ ନିର୍ଣ୍ଣୟ ପାଇଁ ରାଜ୍ୟରେ ୩୨ଟି ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାରର ପ୍ରତିଷ୍ଠା ବା ସୁଦୃଢ଼ୀକରଣ କରାଯାଇଛି । ଜିଲ୍ଲାମାନଙ୍କରେ ୩୦ଟି ଆରଟିପିସିଆର ପରୀକ୍ଷାଗାର ମଧ୍ୟ କାର୍ଯ୍ୟକ୍ଷମ ହୋଇଛି । ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ପରୀକ୍ଷାଗାର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି କରାଯାଉଛି । ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ଦିନ ପରୀକ୍ଷାଗାର ତଥ୍ୟର ସମୀକ୍ଷା ଏବଂ ବିଶ୍ଳେଷଣ କରାଯାଉଛି । ରୋଗ ନିରୀକ୍ଷଣ ଓ ନିୟନ୍ତ୍ରଣ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ବୈଷୟିକ ମାର୍ଗଦର୍ଶନ ପ୍ରଦାନ କରାଯାଉଛି । ଜିଲ୍ଲା ନିରୀକ୍ଷଣ ୟୁନିଟ୍ ଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି କରାଯାଉଛି । ତାସହ ରାଜ୍ୟ ନିରୀକ୍ଷଣ ୟୁନିଟ ପକ୍ଷରୁ ରୋଗ ନିରୀକ୍ଷଣ ଏବଂ ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ପ୍ରଦାନ କରାଯାଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।